Unknown

 

 

 

 

 

 

 

 

 

କରୁଣା କୃପାସିନ୍ଧୁ ବାନା ବୋହିଛ

ଭକ୍ତ ଜୟକୃଷ୍ଣ

 

( ଚଉତିଶାଟିରେ କବିଙ୍କ ପ୍ରଭୁଙ୍କ ପ୍ରତି ଭକ୍ତି ନୈବେଦ୍ୟ ଫୁଟି ଉଠିଛି । କରୁଣା ସାଗର ହରିଙ୍କ ଅପୂର୍ବ ମହିମାକୁ ସେ ଭକ୍ତିଚିତ୍ତରେ ସ୍ମରଣ କରିଛନ୍ତି । ମନୋଜ୍ଞ ଶୈଳୀରେ ଏହା ରଚିତ । )

 

କରୁଣା କୃପାସିନ୍ଧୁ ବାନା ବୋହିଛ,

କଲେ ନିତ୍ୟ ଜଣାଣ, କରତା ହେ, କର୍ଣ୍ଣେ ନାହିଁ ଶୁଣୁଛ ।୧।

ଖରାପ କରିନାହିଁ ତୁମ୍ଭ ଧର୍ମକୁ,

ଖଟିଛି ଆଜ୍ଞା ମାନି, କରତା ହେ, ତୁମ୍ଭ ପାଦ ପଦ୍ମକୁ ।୨।

ଗୁରୁ ବୋଲି ଦର୍ଶନ ନିତି କରୁଛି,

ଗାଳିଗରବ ନିନ୍ଦା, କରତା ହେ, ସବୁକଥା ସହୁଛି ।୩।

ଘଡ଼ିଏ ମନରୁ ନ ପାରେ ପାସୋରି,

ଘୋଷୁଛି, ରାତ୍ରଦିନ, କରତା ହେ, ତୁମ୍ଭଙ୍କୁ ଅନୁସରି ।୪।

ଉଦ୍ଧାର ହେବାପାଇଁ କରିଛି ଆଶ,

ଏବେ କି ଦୋଷ ଦେଖି, କରତା ହେ, କରୁଅଛ ନିରାଶ ।୫।

ଚାତକ ପ୍ରାୟ ଅନୁସରି ରହିଛି,

ଚାହିଁ ଦୟା ନୋହିଲା, କରତା ହେ, ଚିନ୍ତାର୍ଥୀରେ ପଡ଼ିଛି ।୬।

ଛାଡ଼ି ଦେଇଛ ମୋତେ ଦୁଷ୍ଟଙ୍କ ମେଳେ,

ଛାନିଆ ହେଉଅଛି କରତା ହେ, ଛାଇ ତଳ ନ ମିଳେ ।୭।

ଜାନ ଜୀବନ ସୁବ ଦେଇଛି ବିକି,

ଜାଣି ଦୟା ନୋହିଲା କରତା ହେ, ମୋର କି ଦୋଷ ଦେଖି ।୮।

ଝାଡ଼ ଭିତରେ ବଣା ହୋଇଲା ପରି,

ଝାମ ମାରି ନେଉଛି କରତା ହେ, ଜୀବ ଯିବ କି ସରି ।୯।

 

ଭାବାର୍ଥ- (୧-୯) ପ୍ରଭୁଙ୍କ ନିକଟରେ କବିଙ୍କ କାରୁଣ୍ୟଭରା ନିବେଦନ, ହେ କରୁଣାକର, କୃପାସିନ୍ଧୁ ବାନାକୁ ବୋହିଛି । ପ୍ରତ୍ୟହ ତୁମକୁ ଜଣାଣ କରୁଛି । ହେ ଜଗତକରତା, ତଥାପି ମୋ ଡାକ ଶୁଣୁନାହିଁ । ହେ କରତା ହରି, ତୁମ ଆଜ୍ଞାକୁ ମାନି ପାଦପଦ୍ମରେ ଖଟିଛି । ତୁମ ଧର୍ମକୁ ନଷ୍ଟ କରିନାହିଁ । ଗୁରୁ ଭାବେ ନିତି ତୁମର ଦର୍ଶନ କରୁଛି ଓ ଉକ୍ତି ଭାବ ପ୍ରଦର୍ଶନ କରୁଛି ।

 

ହେ ଜଗତକର୍ତ୍ତା, ସଂସାରର ସବୁ ଗର୍ବ ଗାଳି ନିନ୍ଦା ସହୁଛି । ଅହରହ ତୁମ ନାମକୁ ଘୋଷି ଚାଲିଛି । ଘଡ଼ିଏ ମଧ୍ୟ ମନରୁ ପାସୋର ଯାଉନାହିଁ । ରାତ୍ର ଦିନ ତୁମକୁ ଇଜୁଛି । ହେ ପ୍ରଭୁ, ସଂସାର ସାଗରରୁ ଉଦ୍ଧାର ହେବା ପାଇଁ ତୁମରି ଠାରେ ଆଶା କରିଛି; କିନ୍ତୁ ଏବେ କି ଦୋଷ ଦେଖି ମୋତେ ନିରାଶ କରୁଛ ?

 

ହେ ଦୟାମୟ, ମେଘକୁ ଚାତକ ଚାହିଁ ରହିଲା ପରି, ତୁମ ଦୟାକୁ ମୁଁ ଚାହିଁ ରହିଛି । ତଥାପି ଦୟା କରୁନାହିଁ, ତେଣୁ ଚିନ୍ତାରେ ମ୍ରିୟମାଣ ହୋଇପଡ଼ିଛି । ପ୍ରଭୁ କି ପାପ କରିଛି ଯେ, ମୋତେ ସଂସାରର ଦୁଷ୍ଟମାନଙ୍କ ମେଳରେ ଛାଡ଼ି ଦେଇଛି । ମୋତେ ଛାଇ ତଳେ ଆଶ୍ରୟ ମିଳୁନାହିଁ, ଭୟରେ ମୁଁ ଛାନିଆ ହୋଇପଡ଼ିଛି । ପ୍ରଭୁ ହେ, ତୁମ ପାଖରେ ଯୌବନ, ଜୀବନ ସବୁ ବିକି ଦେଇଛି: ମାତ୍ର ମୋର କି ଦୋଷ ଦେଖିଲ ଯେ, ତିଳେମାତ୍ର ଦୟା "କରୁନାହିଁ । ଝାଡ଼ (ବଣ) ମଧ୍ୟରେ ବୁଲି ବୁଲି ବଣା ହେଲା ପରି ଏ ସଂସାର ମଧ୍ୟରେ ଘୂରି ଘୂରି ମୋତେ ଝାମ ମାରି ଦେଉଛି-। ମନେ ହେଉଛି, ଏ ଜୀବନଟା ଯେମିତି ଚାଲିଯିବ ।

 

ନିଜ ଗୁରୁଙ୍କୁ କରିଥାଇ ଆଶ୍ରିତ,

ନ ଜାଣିଥିଲି ମୁହିଁ କରତା ହେ, ହେବ ବୋଲି ଏମନ୍ତ ।୧୦।

ଟାଣ ପଣକୁ ମୋର ଭାଙ୍ଗିଣ ଦେଲ,

ଟିକେ ଦୟା ନ କରି, କରତା ହେ, ଅଚିନ୍ତାରେ ରହିଲ ।୧୧।

ଠାକୁର ହୋଇ ମୋତେ ଠକିଣ ଗଲ,

ଠିକେ ଗାଦି ତୋଳାଇ, କରତା ହେ, ସମାଧିରେ ରହିଲ ।୧୨।

ଡାକ ପାରୁଛି ବସି ଦିବା ରଜନୀ,

ଡୋଳାରେ ନ ଦେଖିଲି, କରତା ହେ, ତୁମ୍ଭ ଡୋର କୌପୁନୀ ।୧୩।

ଢୁଳ ନମାଡ଼େ ମୋତେ ଦିବା ଶର୍ବରୀ,

ଭକ୍ଷିଲା ବିଷ ପ୍ରାୟ, କରତା ହେ, ଦେହେ ହେଉଛି ଘାରି ।୧୪।

ଅଣ ଅକ୍ଷରେ ଭଜି ଅଲେଖ ନାମ,

ଏବେ ଜଣାପଡ଼ୁଛି, କରତା ହେ, କର୍ମ ହେଲା ମୋ ବାମ ।୧୫।

ତିନି ବ୍ରହ୍ମାଣ୍ଡେ କଳ ନିଷ୍କାମ ଲୀଳା,

ଡାକି ନ ପାରିବାରୁ, କରତା ହେ, ତେଣୁ ବୁଡ଼ିଛି ଭେଳା ।୧୬।

ଥୟ ନୋହୁଛି ମୋର ପିଣ୍ଡ ପରାଣ,

ଥରହରେ ଥରୁଛି, କରତା ହେ, ରମ୍ଭାପତ୍ର ଯେସନ ।୧୭।

ଦଇବ କର୍ତ୍ତା ହୋଇ ଏମନ୍ତ କଲ,

ଦୟାଧର୍ମ ନ କରି, କରତା ହେ, ମୋତେ ଭସାଇ ଦେଲ ।୧୮।

 

ଭାବାର୍ଥ- (୧୦-୧୮) ହେ ଜଗତ କରତା, ନିଜ ଗୁରୁଙ୍କୁ ଆଶ୍ରା କରିଛି । ଏମିତି ସଂସାରରେ ଦୁଃଖ କଷ୍ଟ ପାଇବି ବୋଲି ମୁଁ ଜାଣି ନ ଥିଲି । ହେ ପ୍ରଭୁ, ମୋର ଗର୍ବପଣକୁ, ଟାଣ ପଣକୁ ଭାଙ୍ଗି ଦେଲ । ଟିକିଏ ମାତ୍ର ଦୟା କଲ ନାହିଁ, ବରଂ ଅଚିନ୍ତାରେ ରହିଲା । ଠାକୁର ହୋଇ ମୋତେ ଠକି ଦେଲ । ଗାଦି ତୋଳାଇ ସମାଧିରେ ରହିଲା । ହେ ଜଗତ କରତା, ଦିବସରଜନୀ ତୁମକୁ ଡାକୁଛି । ତୁମର ଡୋର କୌପୁନି ଆଖିରେ ଦେଖିଲି ନାହିଁ । ଦିନରାତି ମୋତେ ଆଉ ନିଦ ଲାଗୁନାହିଁ କି ଭୋକ ହେଉ ନାହିଁ । ଖାଇବା ପଦାର୍ଥ ବିଷପ୍ରାୟ ଲାଗୁଛି । ଦେହ ଘାରି ହେଉଛି ।

 

ହେ ପ୍ରଭୁ, ଅଣଅକ୍ଷରରେ ଅଲେଖଙ୍କ ନାମ ଭଜିଛି । ଏବେ ମୋ କର୍ମ ବାମ ହେବା ଜଣାପଡୁଛି । ହେ ଜଗତ ଈଶ୍ଵର, ତିନି ଭୁବନରେ ନିଷ୍କାମ ଲୀଳା ସମାପନ କରିଛି । ତୁମକୁ ମୁଁ ନ ଡାକିବାରୁ ମୋର ଭେଳା ବୁଡ଼ିଯାଉଛି । ମୋର ପ୍ରାଣ ରମ୍ଭାପତ୍ର ପରି ଭୟରେ ଥରୁଛି । ହେ ପ୍ରଭୁ, ଦଇବ କର୍ତ୍ତା ହୋଇ ଏପରି କଲ । ମୋତେ ଦୟାଧର୍ମ ନ କରି ସମୁଦ୍ରର ଭସାଇ ଦେଲ ।

 

ଧର୍ମ ଉଦେ କରିବ ବଡ଼ ନିଷ୍କାମ,

ଧରି ନ ପାରିବାରୁ, କରତା ହେ, ତେଣୁ ହୋଇଲି ଭ୍ରମ ।୧୯।

 

ନିଷ୍ଠା ପ୍ରତିଷ୍ଠା ଧର୍ମ ଜାଣି ନ ଥିଲି,

ନ ପାଳିବାରୁ ମୁହିଁ, କରତା ହେ, ତେଣୁ ଖରାପ ହେଲି ।୨୦।

ପୋଡ଼ୁ ଏ କଳିଯୁଗେ ଜନ୍ମ ହେବାର,

ପଡ଼ିଗଲି ମାୟାରେ, କରତା ହେ, ଜନ୍ମ କଲି ଅସାର ।୨୧।

ଫୁଲ ଫୁଟିଛି ବୃକ୍ଷେ ଫଳିବ ଫଳ,

ଫଳ ଫଳିଲା ବେଳେ, କରତା ହେ, ଉହାଡ଼ରେ ରହିଲ ।୨୨।

ବାନା ଉଡ଼ୁଛି ତିନିପୁର ମଧ୍ୟରେ,

ବୁଦ୍ଧ ପ୍ରବୁଦ୍ଧ ବେଶ, କରତା ହେ, ନ ଦେଖିଲି ନେତ୍ରରେ ।୨୩।

ଭରଣା ହେଲା କଣ୍ଟ ଅଛି ଅନାଇ,

ଭାଳିଭାଳି ମରୁଛି, କରତା ହେ, ଭେଟ ମିଳୁତ ନାହିଁ ।୨୪।

ମହିମା ନାମକୁ ମୁଁ ଭଜନା କରି,

ମହତ ସରୁଅଛି, କରତା ହେ, ବୁଝ ହାରି ଗୁହାରି ।୨୫।

ଯିବ ବାହାରି ବୋଲି ଜାଣି ନ ଥିଲି,

ଜଗତ ଶୂନ୍ୟ କଲ, କରତା ହେ, ଦେଖି ତାଟକା ହେଲି ।୨୬।

ଛବି ତଳରେ ବୁଦ୍ଧ ସ୍ୱରୂପ ଦେଖି,

ରଚନା କଲି ପଦ, କରତା ହେ, ତୁମ୍ଭ ଭଜନ ଲେଖି ।୨୭।

 

ଭାବାର୍ଥ- (୧୯-୨୭) ହେ ଜଗତ କରତା, ଧର୍ମରୁ ନିଷ୍କାମ ଭକ୍ତିଭାବନା ଉଦିତ ହେବ-। ସେଇ ଭାବକୁ ଧରି ରଖିପାରିଲି ନାହିଁ, ତେଣୁ ମୁଁ ଭ୍ରମରେ ପଡ଼ିଛି । ନିଷ୍ଠା, ପ୍ରତିଷ୍ଠା, ଧର୍ମ ପ୍ରଭୃତି କିଛି ଜାଣି ନ ଥିଲି । ଅଜ୍ଞାନ ହେତୁ, ଠିକ୍ ଭାବରେ ଧର୍ମକୁ ପାଳିଲି ନାହିଁ । ତେଣୁ ଖରାପ ହେଲି । ହେ ପ୍ରଭୁ, ଏ କଳିଯୁଗରେ ଜନ୍ମ ହୋଇ ମୁଁ ନିଜକୁ ଧିକ୍‍କାର କରୁଛି । ପୋଡ଼ିଯାଉ ଏ ଜନ୍ମ-। ପ୍ରଭୁ ହେ, ସଂସାରର ମୋହମାୟାରେ ମୁଁ ପଡ଼ିଗଲି, ମୋର ଜନ୍ମ ଅସାର ହୋଇଯାଇଛି ।

 

ହେ ପ୍ରଭୁ, ବୃକ୍ଷରେ ଫୁଲ ଫୁଟିଛି, କିଛିଦିନ ପରେ ଫଳ ଫଳିବ । ଫଳ ଫଳିଲା ବେଳକୁ ବୃକ୍ଷର ଉହାଡ଼ରେ ରହିଗଲ । ହେ ଜଗତକରତା, ତୁମର ମହିମାବାନା ତିନିପୁର ମଧ୍ୟରେ ଫରଫର ହୋଇ ଉଡୁଛି । ତୁମର ବୁଦ୍ଧପ୍ରବୁଦ୍ଧ ବେଶ ଦୁଇ ଆଖିରେ ଦେଖିପାରିଲି ନାହିଁ । ତୁମକୁ ନ ଦେଖି ଚିନ୍ତା କରି କରି ମରୁଛି । ହେ ଜଗତକରତା, ହରି ମହିମା ନାମକୁ ମୁଁ ଭଜନ କରୁଛି । ମୋର ମହତ ସରିଯାଉଛି । ମୋର ହାରିଗୁହାରି ଶୁଣ । ହେ ଜଗତକରତା, ଜଗତ ଶୂନ୍ୟ କରି ଚାଲିଗଲା । ବାହାରି ଚାଲିଯିବ ବୋଲି ଜାଣି ନ ଥିଲି । ତୁମର ଏ ରୀତି ଦେଖି ମୁଁ ତାଟକା ହୋଇଯାଇଛି । ମହୀମଣ୍ଡଳରେ ପ୍ରଭୁ ବୁଦ୍ଧଦେବଙ୍କ ସ୍ଵରୂପ ଦେଖି ଭଜନ ଲେଖିବାକୁ ମନ କରିଛି ।

 

ଲୋଡ଼ୁଛି ଚଉଦିଗ ଶୂନ୍ୟ ଧରିତ୍ରୀ,

ଲେଶେ ଦୟା ନକଲ, କରତା ହେ, ଫାଟିଯାଉଛି ଛାତି ।୨୮।

ବୁଦ୍ଧବୈଷ୍ଣବ ବେଶଗୁରୁ ଅଲେଖ,

ବାହ୍ୟରେ ଦେଖୁଥିଲି, କରତା ହେ, ଏବେ କଲ ନିରେଖ ।୨୯।

ଶ୍ରୀଗୁରୁ ବୋଲି କରିଥିଲି ମୁଁ ଆଶା,

ଶିରୀ ସମ୍ପଦ ଦାତା, କରତା ହେ, କରିଗଲ ନିରାଶା ।୩୦।

ସଦଗୁରୁ ହୋଇଣ ଏମନ୍ତ କଲ,

ସୋହତି ସାଗରେ ଯେ, କରତା ହେ, ମତେ ଭସାଇ ଦେଲ ।୩୧।

ସରିଲା ସବୁ ସୁଖ ହୋଇଲା ଦୁଃଖ,

ଶତ୍ରୁ ହିଂସାର୍ଥେ ପଡ଼ି, କରତାହେ, ଚାହିଁବି କାହା ମୁଖ ।୩୨।

ହାଟ ଦାଣ୍ଡ ବାଟରେ ନ ପାରେ ଚାଲି,

ହାଡ଼ରୁ ରକ୍ତମାଂସ, କରତା ହେ, ଏବେ ପଡ଼ୁଛି ଝଡ଼ି ।୩୩।

କ୍ଷମାମନ୍ଦଙ୍କ ପାଦ ହୃଦରେ ଗୁଣି,

କ୍ଷମା କର ମୋ ଦୋଷ, କରତା ହେ, ଜୟୀ ପାମର ଭଣି ।୩୪।

 

ଭାବାର୍ଥ- (୨୮-୩୪) ହେ ଜଗତ କରତା ପ୍ରଭୁ, ମୁଁ ତୁମକୁ ଚତୁର୍ଦ୍ଦିଗ, ଧରିତ୍ରୀ ମଣ୍ଡଳରେ ଖୋଜୁଛି । ଲେଶେ ମାତ୍ର ମୋତେ ଦୟାକଲ ନାହିଁ । ଦେଖାଦେଲ ନାହିଁ । ମୋର ଛାତି ଫାଟି ଯାଉଛି । ହେ ବୁଦ୍ଧବୈଷ୍ଣବବେଶ ଗୁରୁ ଅଲେଖ, ତୁମକୁ ବାହ୍ୟରେ ଦେଖୁଥିଲି, କେତେ ଆଶା କରିଥିଲି, ଏବେ ନିରାଶ କରିଦେଲ । ହେ ଜଗତ କରତା, ସଦ୍‌ଗୁରୁ ହୋଇ ମୋତେ ନିରାଶ କଲ, ଯାହା ମୁଁ କେବେ ଆଶା କରି ନ ଥିଲି । ମୋତେ ଦୁଃଖର ସାଗରରେ ଭସାଇ ଦେଲ ।

 

ହେ ପ୍ରଭୁ ଦୟାର ସାଗର, ମୋ କପାଳରେ ସୁଖ ବୋଲି କିଛି ନାହିଁ । ଦୁଃଖଭରା ମୋ ଜୀବନ । ଶତ୍ରର ହିଂସା ମୋତେ ହନ୍ତସନ୍ତ କରୁଛି । କାହା ମୁଖକୁ ଚାହିଁ ବଞ୍ଚିବି ? ହେ ଜଗତ କରତା, ଲଜ୍ଜା ଅପମାନରେ ଏବେ ହାଟ ଦାଣ୍ଡ ବାଟରେ ଚାଲିପାରୁନାହିଁ । ଦେହ ହାଡ଼ରୁ ରକ୍ତମାଂସ ଝଡ଼ି ପଡ଼ୁଛି । କବି ଜୟକୃଷ୍ଣ କ୍ଷମାସାଗର ପ୍ରଭୁଙ୍କ ପାଦତଳେ ପଡ଼ି ବିନତି ଜଣାଉଛନ୍ତି, ହେ ଜଗତା କରତା, ମୋ ଦୋଷ କ୍ଷମା କର ।

Image